ୟୁଜିସିର ନୂଆ ନିୟମକୁ ସ୍ଥଗିତ କଲେ ସର୍ବୋଚ୍ଚ ଅଦାଲତ

ସୁପ୍ରିମକୋର୍ଟ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି)ଙ୍କ ନୂଆ ନିୟମ ବିରୋଧରେ ଆଗତ ଆବଦେନ ଉପରେ ଶୁଣାଣି କରି ରୋକ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଆମକୁ ଜାତି ବିହୀନ ସମାଜ ଦିଗରେ ଆଗକୁ ବଢିବା ଆବଶ୍ୟକ। ଏହା ସହିତ କୋର୍ଟ କେନ୍ଦ୍ର ଓ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ୟୁଜିସି ନୂଆ ନିୟମ ସାଧାରଣ ବର୍ଗଙ୍କ ବିରୋଧରେ ଭେଦଭାବ ପୂର୍ଣ୍ଣ ବୋଲି କୁହାଯାଇଛି। ଗୁରୁବାର ଶୁଣାଣି କାଳରେ କୋର୍ଟ କହିଛନ୍ତି ଯେ ୨୦୧୨ର ନିୟମ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଯେଉଁ ପର୍ଯ୍ୟନ୍ତ ନୂଆ ଆଦେଶ ନ ଆସିଛି।

ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ ନୂଆ ନିୟମ ଅସ୍ପଷ୍ଟ ଓ ଏହାର ଦୂରୁପଯୋଗ ହୋଇପାରେ। ଏଣୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ଓ ୟୁଜିସିର ନୂଆ ନିୟମ ଉପରେ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହି ମାମଲାରେ କୋର୍ଟ ମାର୍ଚ୍ଚ ୧୯ ତାରିଖକୁ ପରବର୍ତ୍ତି ଶୁଣାଣି ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ଭିନୀତ ଜିନ୍ଦଲ କହିଛନ୍ତି ଯେ ଆଜି ସିଜେଆଇ ତାଙ୍କ ତର୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ପାଇଁ ବଡ଼ ବିଜୟ। ସେ କହିଛନ୍ତି ଯେ ବିଶେଷ କରି ୩ଟି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଏଥିରେ ଏକ ସେକ୍ସନ ୩-ସି ଯାହା ଜାତିଭେଦ ସମ୍ପର୍କିତ।

ଜିନ୍ଦଲ କହିଛନ୍ତି ଯେ ସିଜେଆଇ ତାଙ୍କ ତର୍କକୁ ସ୍ୱୀକାର କରିଛନ୍ତି ଓ କହିଛନ୍ତି ଯଦି ଏପରି ସେକ୍ସନ ଅଛି ତେବେ ଏହା ସାଧାରଣ ଜାତି ଲାଗି ଭେଦଭାବପୂର୍ଣ୍ଣ ହେବ ଓ ଏଥିରେ ସଂଶୋଧନ ଆବଶ୍ୟକ। ଏହା ଛଡା ଇକ୍ୱିଟି କମିଟି ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରାଯାଇଛି। ଯେଉଁଥିରେ ସାଧାରଣ ଜାତିର ସମୂଦାୟଙ୍କ ନିମନ୍ତେ କୌଣସି ବିଶେଷ ପ୍ରତିନିଧି ନାହାନ୍ତି। ଯାହା ଉପରେ ସିଜେଆଇ ଧ୍ୟାନ ଦେଇଛନ୍ତି।

ତେବେ ୟୁଜିସି ନୂଆ ନିୟମକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଛି। ୟୁଜିସି ରେଗୁଲେସନ ୨୦୨୬କୁ ଜାନୁୟାରୀ ୨୩ ତାରିଖ ଦିନ ଅଧିସୂଚିତ କରାଯାଇଥିଲା। ଏହା ବିରୋଧରେ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ଆବେଦନକାରୀ ଏହାକୁ ମନଇଛା ଓ ଭେଦଭାବପୂର୍ଣ୍ଣ ବୋଲି କହି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ୟୁଜିସି ଇକ୍ୱିଟି ରେଗୁଲେସନ ବିରୋଧରେ ମୃତ୍ୟୁଞ୍ଜୟ ତିୱାରୀ, ଆଡଭୋକେଟ ଭିନୀତ ଜିନ୍ଦଲ ଓ ରାହୁଲ ଦିୱାନ ଆବେଦନ ଦାଖଲ କରିଛନ୍ତି। ସେମାନେ ତର୍କ ଦେଇଛନ୍ତି ଯେ ଏହି ନିୟମ ସାଧାରଣ ଜାତିର ଲୋକଙ୍କ ପ୍ରତି ଭେଦଭାବ ପୂର୍ଣ୍ଣ।

Leave a Reply

Your email address will not be published. Required fields are marked *