ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦୀପାବଳି ଅବସରରେ ଭାରତୀୟ ନାଗରିକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଅପରେସନ୍ ସିନ୍ଦୂରର ସଫଳତା ପ୍ରସଙ୍ଗରେ ଭଗବାନ ରାମଙ୍କ ବିଷୟ ଉଲ୍ଲେଖ କରିଛନ୍ତି। ନାଗରିକମାନଙ୍କୁ ଲେଖିଥିବା ଚିଠିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିବା ଅପରେସନ ସିନ୍ଦୂର ଦ୍ବାରା ଅନ୍ୟାୟର ପ୍ରତିଶୋଧ ନିଆଯାଇଛି।
ପ୍ରଧାନମନ୍ତ୍ରୀ ଜିଏସ୍ଟି ସଂସ୍କାର ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ନବରାତ୍ରିର ପ୍ରଥମ ଦିନରେ ଜିଏସ୍ଟି ହାର ହ୍ରାସ କରାଯାଇଥିଲା। ଏହି ‘ଜିଏସ୍ଟି ବଚତ୍ ଉତ୍ସବ’ ନାଗରିକମାନଙ୍କର ହଜାର ହଜାର କୋଟି ଟଙ୍କା ସଞ୍ଚୟ କରୁଛି ଏବଂ ଏହାର ସୁଫଳ ଦେଶ ପାଉଛି। ଅନେକ ସଙ୍କଟ ଦେଇ ଗତି କରୁଥିବା ବିଶ୍ୱରେ ଭାରତ ସ୍ଥିରତା ଓ ସମ୍ବେଦନଶୀଳତା ଉଭୟର ପ୍ରତୀକ ଭାବରେ ଉଭା ହୋଇଛି। ନିକଟ ଭବିଷ୍ୟତରେ ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ମାର୍ଗରେ ମଧ୍ୟ ଅଗ୍ରସର ହେଉଛୁ। ଏକ ବିକଶିତ ଓ ଆତ୍ମନିର୍ଭର ଭାରତର ଏହି ଯାତ୍ରାରେ, ନାଗରିକ ଭାବରେ ଆମର ପ୍ରଥମ ଦାୟିତ୍ୱ ହେଉଛି ଦେଶ ପ୍ରତି କର୍ତ୍ତବ୍ୟ ପାଳନ କରିବା। ଆସନ୍ତୁ ଆମେ ସ୍ୱଦେଶୀକୁ ଆପଣାଇବା ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରୋତ୍ସାହିତ କରିବା। ଆସନ୍ତୁ ସମସ୍ତ ଭାଷାକୁ ସମ୍ମାନ କରିବା। ପରିଷ୍କାରପରିଚ୍ଛନ୍ନତା ବଜାୟ ରଖିବା। ଆମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା। ଆମ ଖାଦ୍ୟରେ ତେଲର ବ୍ୟବହାର ୧୦% ହ୍ରାସ କରିବା ଓ ଯୋଗକୁ ଗ୍ରହଣ କରିବା। ଏହି ସମସ୍ତ ପ୍ରୟାସ ଆମକୁ ଦ୍ରୁତ ଗତିରେ ବିକଶିତ ଭାରତ ଆଡକୁ ନେଇଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦୀପାବଳି ଆମକୁ ଏହା ମଧ୍ୟ ଶିକ୍ଷା ଦେଇଥାଏ ଯେ ଯେତେବେଳେ ଗୋଟିଏ ଦୀପ ଅନ୍ୟ ଦୀପକୁ ଜଳାଇଥାଏ, ସେତେବେଳେ ତାହାର ଆଲୋକ କମି ନ ଥାଏ, ବରଂ ଆହୁରି ବଢ଼ି ଯାଇଥାଏ।









