ଟ୍ବେଣ୍ଟି-୨୦ ବିଶ୍ବକପ୍ ପଦାର୍ପଣ କରିଥିବା ଇଟାଲିର ଆରମ୍ଭ ଫିକା ପଡ଼ିଛି। ସୋମବାର କୋଲକାତାର ଇଡେନ୍ ଗାର୍ଡେନ୍ରେ ଖେଳାଯାଇଥିବା ସପ୍ତମ ମ୍ୟାଚ୍ରେ ଏହି ଦଳକୁ ୭୩ ରନ୍ରେ ସ୍କଟ୍ଲାଣ୍ଡ ହରାଇ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟ୍ଲାଣ୍ଡକୁ ଜର୍ଜ ମୁନ୍ସି ଓ ମାଇକେଲ ଜୋନ୍ସ ଭଲ ଆରମ୍ଭ ଦେଇଥିଲେ। ଉଭୟ ପାୱାର ପ୍ଲେରେ ୪୯ ରନ୍ ସହ ପ୍ରଥମ ୱିକେଟ୍ରେ ୧୩.୫ ଓଭରରେ ୧୨୬ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ମୁନ୍ସିଙ୍କ (୮୪ ରନ୍) ଓ ଜୋନ୍ସ (୩୭ ରନ୍) ଗୋଟିଏ ଓଭର ବ୍ୟବଧାନରେ ପ୍ୟାଭିଲିୟନ୍ ଫେରିଥିଲେ। ବ୍ରାଣ୍ଡନ ମ୍ୟାକ୍ମୁଲାନ (୧୮ ବଲ୍ରୁ ୪୧*) ଓ ମାଇକେଲ ଲିସ୍କ (୫ ବଲ୍ରୁ ୨୨*) ଅପରାଜିତ ରହି ଦଳୀୟ ସ୍କୋର୍ ୨୦୭/୪ରେ ପହଞ୍ଚାଇଥିଲେ।
ଜବାବରେ ଇଟାଲି ୧୬.୪ ଓଭରରେ ୧୩୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୪୦ ରନ୍ରେ ୩ ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ଇଟାଲିକୁ ଆଶା ଦେଇଥିଲେ ଦୁଇ ଭାଇ ବେନ୍ ଓ ହାରି ମାନେଣ୍ଟି। ଉଭୟ ଚତୁର୍ଥ ୱିକେଟ୍ରେ ୭୩ ରନ୍ ଯୋଡ଼ି ଦଳୀୟ ସ୍କୋର୍ ୧୦୦ ପାର୍ କରିଥିଲେ। ହାରି (୩୭ ରନ୍) ଓ ବେନ୍ (୫୨ ରନ୍) ଆଉଟ୍ ପରେ ୫ ରନ୍ରେ ଶେଷ ୪ ୱିକେଟ୍ ହରାଇ ପରାଜୟ ବରଣ କରିଥିଲା। ଫିଲ୍ଡିଂ ବେଳେ ଆହତ ହୋଇଥିବା ଇଟାଲି ଅଧିନାୟକ ୱାନେ ମାଡ୍ସେନ ବ୍ୟାଟିଂକୁ ଆସି ନଥିଲେ।









