ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧିକୁ ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ୍ ବ୍ୟୟବରାଦ ୭,୩୩୨ କୋଟି ଟଙ୍କା ଅଟେ। ପୁନର୍ଗଠିତ ଯୋଜନାର ଲକ୍ଷ୍ୟ ହେଉଛି ୫୦ ଲକ୍ଷ ନୂଆ ହିତାଧିକାରୀଙ୍କ ସମେତ ୧.୧୫ କୋଟି ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବା।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ (ଡିଏଫଏସ) ଉପରେ ମିଳିତ ଭାବରେ ନ୍ୟସ୍ତ ରହିବ। ଡିଏଫଏସର ଭୂମିକା ହେବ ବ୍ୟାଙ୍କ/ଆର୍ଥିକ ପ୍ରତିଷ୍ଠାନ ଏବଂ ସେଗୁଡ଼ିକର ତୃଣମୂଳ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଋଣ/କ୍ରେଡିଟ୍ କାର୍ଡ ଉପଲବ୍ଧତାକୁ ସହଜ କରିବା।
ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ କିସ୍ତିରେ ଋଣ ପରିମାଣ ବୃଦ୍ଧି, ଦ୍ୱିତୀୟ ଋଣ ପରିଶୋଧ କରୁଥିବା ହିତାଧିକାରୀଙ୍କ ପାଇଁ ୟୁପିଆଇ-ସଂଲଗ୍ନ ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ଏବଂ ଖୁଚୁରା ଓ ପାଇକାରୀ କାରବାର ପାଇଁ ଡିଜିଟାଲ୍ କ୍ୟାସବ୍ୟାକ୍ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ। ଏହି ଯୋଜନାର ପରିସର ପର୍ଯ୍ୟାୟକ୍ରମେ ଜନଗଣନା ସହର ଏବଂ ଅର୍ଦ୍ଧ-ସହରାଞ୍ଚଳ ଇତ୍ୟାଦିକୁ ବିସ୍ତାର କରାଯାଉଛି।
ଉନ୍ନତ ଋଣ ଢାଞ୍ଚାରେ ପ୍ରଥମ କିସ୍ତି ଋଣକୁ ୧୫,୦୦୦ ଟଙ୍କା (୧୦,୦୦୦ ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ କିସ୍ତି ଋଣକୁ ୨୫,୦୦୦ ଟଙ୍କା (୨୦,୦୦୦ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ତୃତୀୟ କିସ୍ତିକୁ ପୂର୍ବ ଭଳି ୫୦ ହଜାର ଟଙ୍କା ରଖାଯାଇଛି ।
ୟୁପିଆଇ ସଂଯୁକ୍ତ ରୂପେ କ୍ରେଡିଟ୍ କାର୍ଡ ପ୍ରଚଳନ ଦ୍ୱାରା ରାସ୍ତାପାର୍ଶ୍ବ ବିକ୍ରେତାମାନେ ଯେକୌଣସି ଜରୁରୀକାଳୀନ ବ୍ୟବସାୟ ଏବଂ ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ଋଣ ପାଇପାରିବେ।
ଅଧିକନ୍ତୁ, ଡିଜିଟାଲ୍ ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ, ରାସ୍ତା କଡ଼ ବିକ୍ରେତାମାନେ ଖୁଚୁରା ଏବଂ ପାଇକାରୀ କାରବାର କରିବା ଉପରେ ୧୬,୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରୋତ୍ସାହନ ପାଇପାରିବେ।
ଏହି ଯୋଜନାରେ ଉଦ୍ୟମିତା, ଆର୍ଥିକ ସାକ୍ଷରତା ଏବଂ ଡିଜିଟାଲ ଦକ୍ଷତା ମାଧ୍ୟମରେ ମାର୍କେଟିଂ ଉପରେ ଧ୍ୟାନ ଦେଇ ରାସ୍ତାପାର୍ଶ୍ବ ବିକ୍ରେତାଙ୍କ କ୍ଷମତା ନିର୍ମାଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ସହିତ ମିଳିତ ଭାବରେ ରାସ୍ତାପାର୍ଶ୍ବ ବିକ୍ରେତାଙ୍କ ପାଇଁ ମାନକ ସ୍ୱଚ୍ଛତା ଏବଂ ଖାଦ୍ୟ ସୁରକ୍ଷା ତାଲିମ ଆୟୋଜନ କରାଯିବ।









