ନବୀନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲାଣି

ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ଚିକିତ୍ସାଧୀନ ନବୀନଙ୍କୁ ଭେଟିବାକୁ ବିଜେଡିର ବରିଷ୍ଠ ନେତାମାନେ ଗତକାଲିଠୁ ଡେରା ପକାଇଛନ୍ତି। ଦଳର ସବୁ ଆଗଧାଡ଼ିର ନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ସମ୍ ହସ୍ପିଟାଲ ଯାଇ ନିଜ ପ୍ରିୟ ନେତାଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ଜଣେ ବି ନେତାଙ୍କୁ ଭେଟିବାର ସୁଯୋଗ ମିଳିପାରିନଥିବା ଜଣାପଡ଼ିଛି। ଯଦିଓ ନବୀନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲାଣି ବୋଲି ଡାକ୍ତରୀ ଟିମ୍ ଓ ପାଣ୍ଡିଆନ ଦମ୍ପତି ଦାବି କରୁଛନ୍ତି ତଥାପି ବିଜେଡିର କୌଣସି ଜଣେ ବି ନେତାଙ୍କୁ କାହିଁକି ନବୀନଙ୍କ ପାଖକୁ ଯିବାକୁ ସୁଯୋଗ ମିଳୁନି ତାହା ଏବେ ଦଳୀୟ ନେତାମାନଙ୍କୁ କ୍ଷୁବ୍ଧ କରିବା ସହ ସନ୍ଦେହ ବଢ଼ାଇଛି। ପାଣ୍ଡିଆନ ଦମ୍ପତି କ’ଣ ଲୁଚାଇବା ପାଇଁ ଏଭଳି କରୁଛନ୍ତି ଓ କାହାରିକୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭେଟିବାର ସୁଯୋଗ ଦେଉନାହାନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ନେତା ହସ୍ପିଟାଲରେ ନିଜର ପ୍ରିୟ ନେତା ନବୀନଙ୍କୁ ଭେଟିବାର ସୁଯୋଗ ଏପର୍ଯ୍ୟନ୍ତ ପାଇନଥିବା ଜଣାପଡ଼ିଛି। ଯଦିଓ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଏପରିକି ପାଣ୍ଡିଆନଙ୍କ ୨ ଜଣ ଖାସ୍ କର୍ମଚାରୀ ହସ୍ପିଟାଲରେୂ ନବୀନଙ୍କୁ ଭେଟିବାର ସୁଯୋଗ ପାଉଥିବା ସୂଚନା ମିଳିଛି।

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେଉଥିବାବେଳେ ତାଙ୍କୁ ଭେଟିବା ପାଇଁ ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଛୋଟ ଟିମକୁ ମାତ୍ର ୧-୨ ମିନିଟ୍ ପାଇଁ ଦୂରରୁ ଅନୁମତି ଦେବାରେ କାହିଁକି ପାଣ୍ଡିଆନ ଦମ୍ପତି ବାଧକ ସାଜିଛନ୍ତି ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି। ବାଲେଶ୍ୱର ଏଫଏମ୍ ଛାତ୍ରୀ ଓ ବଳଙ୍ଗା ପୀଡ଼ିତା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଭେଟିବା ପାଇଁ ଏହି ବିଜେଡି ହିଁ ଗଣମାଧ୍ୟମରେ ଚିତ୍କାର କରୁଥିଲା ଓ ସରକାରଙ୍କ ବିରୁଦ୍ଧରେ ବର୍ଷୁଥିଲା। ମାତ୍ର ଏବେ ନିଜ ଦଳର ନେତାଙ୍କୁ କାହିଁକି ଭେଟିପାରୁନାହାନ୍ତି ସେନେଇ ମୁହଁରେ ତୁଣ୍ଡି ବାନ୍ଧିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *