ଦୋକାନରେ ଝୁଲିବ ଉଭୟ ନୂଆ ଓ ପୁରୁଣା ଦର

ଜିଏସ୍‌ଟିରେ ହ୍ରାସ ଘୋଷଣା ପରେ କେଉଁ ଜିନିଷର ଦାମ୍ କେତେ କମିଛି ତାହା ଜାଣିବା ଲାଗି କେନ୍ଦ୍ର ସରକାର କମ୍ପାନିଗୁଡ଼ିକୁ ସେମାନଙ୍କ ଜିନିଷର ନୂଆ ଦର ତାଲିକା ମାଗିଛନ୍ତି। ସେମାନଙ୍କୁ ଉଭୟ ପୁରୁଣା ଓ ନୂଆ ଦରର ସୂଚନା ଜିଏସ୍‌ଟିର ଅଫିସିଆଲ୍ ୱେବସାଇଟ୍‌ରେ ଅପ୍‌ଲୋଡ୍ କରିବାକୁ କୁହାଯାଇଛି। ଗତକାଲି କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଉଦ୍ୟୋଗ ଓ ବ୍ୟବସାୟ ଜଗତର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା। ଜିଏସ୍‌ଟି ହ୍ରାସକୁ ଠିକ୍ ଢଙ୍ଗରେ ଲାଗୁ କରିବାକୁ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ବ୍ୟବସାୟୀ ଓ କମ୍ପାନିମାନଙ୍କୁ ସେମାନଙ୍କ ଦୋକାନ ଓ ଡିଲର୍‌ସିପ୍‌ରେ ସାମଗ୍ରୀର ଉଭୟ ନୂଆ ଓ ପୁରୁଣା ଦର ତାଲିକା ଝୁଲାଇବାକୁ କୁହାଯାଇଛି। ଫଳରେ ଗ୍ରାହକମାନେ କେଉଁ ଜିନିଷର ଦାମ୍ ପ୍ରକୃତରେ କେତେ କମିଲା ତାହା ଜାଣିପାରିବେ।

ଜିଏସ୍‌ଟି ହ୍ରାସର ପୂରା ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ସରକାର ସଂକଳ୍ପ ନେଇଛନ୍ତି। କୌଣସି କମ୍ପାନି ଯେଭଳି ଟିକସ ହ୍ରାସର ଲାଭ ନ ଉଠାନ୍ତି ତାହା ନିଶ୍ଚିତ କରାଯିବ। ୨୦୧୭ ଜୁଲାଇରେ ପ୍ରଥମ ଥର ଜିଏସ୍‌ଟି ଲାଗୁ ହେବାପରେ ଦରଦାମ୍‌ରେ ହୋଇଥିବା ହ୍ରାସର ଲାଭ ଯେଉଁମାନେ ଗ୍ରାହକଙ୍କୁ ଦେଇ ନଥି‌ଲେ ସେମାନଙ୍କ ଉପରେ ଜାତୀୟ ଆଣ୍ଟି ପ୍ରଫିଟିୟରିଂ ଅଥରିଟି ଜରିମାନା ଲଗାଇଥିଲେ।

ଜିଏସ୍‌ଟିରେ ହୋଇଥିବା ହ୍ରାସ ଚଳିତ ମାସ ୨୨ରୁ ଲାଗୁ ହେବ। କମ୍ପାନିଗୁଡ଼ିକ ପାଖରେ ବିକ୍ରି ନ ହୋଇ ରହିଯାଇଥିବା ଷ୍ଟକ୍‌ଗୁଡ଼ିକର ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ବଦଳାଇବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଉତ୍ପାଦନକାରୀ ସଂସ୍ଥା, ପ୍ୟାକେଜିଂ କମ୍ପାନି କିମ୍ବା ଆମଦାନିକାରୀମାନେ ପୁରୁଣ‌ା ଦର ଉପରେ ନୂଆ ଦରକୁ ଷ୍ଟାମ୍ପ, ଷ୍ଟିକର୍‌ କିମ୍ବା ଅନ୍‌ଲାଇନ୍ ପ୍ରିଣ୍ଟିଂ ଜରିଆରେ ଲଗାଇପାରିବେ। ଏହି ନିଷ୍ପତ୍ତିକୁ ଚଳିତ ବର୍ଷ ଡ‌ିସେମ୍ବର ୩୧ ପର୍ଯ୍ୟନ୍ତ କିମ୍ବା ପୁରୁଣା ଷ୍ଟକ୍ ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଯିବ।

Leave a Reply

Your email address will not be published. Required fields are marked *