ଦଳ ବିରୋଧୀ ବୟାନ ପାଇଁ ଝିଅକୁ ନିଲମ୍ବିତ କଲେ କେ. ଚନ୍ଦ୍ରଶେଖର ରାଓ

ଦଳ ବିରୋଧୀ ବୟାନ ପାଇଁ କେ ଚନ୍ଦ୍ରଶେଖର ରାଓ (କେସିଆରଇ) ନିଜ ଝିଅ କେ କବିତାଙ୍କୁ ନିଲମ୍ବନ କରିଛନ୍ତି। ଭାରତ ରାଷ୍ଟ୍ର ସମିତି (ବିଆରଏସ)  କେ. କବିତାଙ୍କୁ ଆଜି ଦଳରୁ ନିଲମ୍ବନ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କବିତାଙ୍କ ପିତା ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଲମ୍ବନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ବିଆରଏସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରିଛି। ଦଳ କହିଛି ଯେ, କବିତାଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ରହିଆସିଛି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।

କବିତା ନିଲମ୍ବନର ଗୋଟିଏ ଦିନ ପୂର୍ବରୁ ବିଆରଏସ ଭିତରେ ଅଶାନ୍ତି ସୃଷ୍ଟି କରିଥିଲେ।  ଦଳୀୟ ସହଯୋଗୀମାନେ କେସିଆରଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିବାର ଅଭିଯୋଗ ଆଣିଥିଲେ ସେ। କବିତା ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଭାଇ ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀ ଦୁର୍ନୀତି ମାମଲାରେ ମୋ ବାପାଙ୍କୁ ଫସାଇବାକୁ ଚାହୁଁଛନ୍ତି।

ତେଲେଙ୍ଗାନାର କଂଗ୍ରେସ ନେତୃତ୍ୱାଧୀନ ସରକାର କାଳେଶ୍ୱରମ୍ ପ୍ରକଳ୍ପରେ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରିବାର ଗୋଟିଏ ଦିନ ପରେ ଏଭଳି ଆରୋପ ଲଗାଇଥିଲେ କବିତା। ହରିଶ ରାଓଙ୍କ ନାମ ନେଇ ସେ ଅଭିଯୋଗ କରିଥିଲେ ଯେ, ୨୦୧୪ରେ ବିଆରଏସ କ୍ଷମତାରେ ଥିବା ସମୟରେ ଜଳସେଚନ ମନ୍ତ୍ରୀ ଥିଲେ ହରିଶ ରାଓ। ଏବେ ସେ ସମ୍ପତ୍ତି ନେବା ପାଇଁ କଂଗ୍ରେସର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ମିଶି କେସିଆରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି।