ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ଼ ବିନୟତୋଷ ମିଶ୍ର,ଓଡ଼ିଶା ନକ୍ସଲମୁକ୍ତ ହେବା ରାଜ୍ୟ ପୁଲିସର ସବୁଠାରୁ ବଡ଼ ଉପଲବ୍ଧି

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (DGP) ଭାବେ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ତାଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ୧୯୯୦ ବ୍ୟାଚ୍ ଆଇପିଏସ୍ ୱାଇ.ବି. ଖୁରାନିଆ ୨୦୨୪ରେ ଡିଜିପି ଭାବେ ଦାୟିତ୍ୱ ନେବା ପୂର୍ବରୁ ପୁଲିସ କମିଶନର ତଥା ବିଏସ୍‌ଏଫ୍ (BSF)ର ସ୍ୱତନ୍ତ୍ର ଡିଜି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ବିଦାୟ ଅବସରରେ ସେ କହିଛନ୍ତି ଯେ ଓଡ଼ିଶା ନକ୍ସଲମୁକ୍ତ ହେବା ରାଜ୍ୟ ପୁଲିସର ସବୁଠାରୁ ବଡ଼ ଉପଲବ୍ଧି, ଯାହାକୁ ଗତ ମାର୍ଚ୍ଚ ୩୧ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା ।

ଖୁରାନିଆଙ୍କ ନେତୃତ୍ୱରେ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଓ ‘ଅପରେସନ୍ ପ୍ରହାର’ ମାଧ୍ୟମରେ ୪ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନିଶାଦ୍ରବ୍ୟ ଜବତ ଓ ନଷ୍ଟ କରାଯାଇଛି । ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି ୩୦.୨% ଏବଂ ଦଙ୍ଗା ୨୫.୬% ହ୍ରାସ ପାଇଥିବା ବେଳେ ଦୁଷ୍କର୍ମ, ଚୋରି, ଡକାୟତି ଓ ଠକେଇ ମାମଲା ମଧ୍ୟ କମିଛି । ଏହା ସହିତ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ଦଣ୍ଡବିଧାନ ହାର ୮୭.୬% ରହିବା ତାଙ୍କ କାର୍ଯ୍ୟକାଳର ଅନ୍ୟତମ ପ୍ରମୁଖ ସଫଳତା ।

ଅନ୍ୟପଟେ ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ର ଓଡ଼ିଶା ପୁଲିସର ଅନ୍ତରୀଣ ଡିଜିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କ୍ରାଇମବ୍ରାଞ୍ଚ ଡିଜି ଥିବା ଶ୍ରୀ ମିଶ୍ର ପୂର୍ବରୁ ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି । ଦାୟିତ୍ୱ ନେବା ପରେ ସେ ମୁଖ୍ୟତଃ ଚାରୋଟି ଦିଗ ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ଘୋଷଣା କରିଛନ୍ତି— ନାରୀ ସୁରକ୍ଷା, ନିଶାମୁକ୍ତି, ସଂଗଠିତ ଅପରାଧ ଦମନ ଏବଂ ସାଇବର କ୍ରାଇମ୍ ନିୟନ୍ତ୍ରଣ ।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପୁଲିସର ନୂତନ ପୂର୍ଣ୍ଣକାଳୀନ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବିବାଦ ଉପୁଜିଥିବା ବେଳେ ସୁପ୍ରିମକୋର୍ଟ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି । ସେଥିପାଇଁ ଅଦାଲତଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ରାଜ୍ୟର ଆଇନଶୃଙ୍ଖଳା ଦାୟିତ୍ୱ ସମ୍ଭାଳିବେ ।