ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଶୋକପ୍ରକାଶ ସତ୍ତ୍ବେ ତାଙ୍କ ଫିଲ୍ମର ଗୀତକୁ ଏବେ ୟୁଟ୍ୟୁବରୁ ହଟାଇ ଦିଆଯାଇଛି

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଥିଲେ। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଥିଲେ ଯେ, ‘ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି।’ ତେବେ ଫୱାଦଙ୍କ ଶୋକପ୍ରକାଶ ସତ୍ତ୍ବେ ତାଙ୍କ ଫିଲ୍ମର ଗୀତକୁ ଏବେ ୟୁଟ୍ୟୁବରୁ ହଟାଇ ଦିଆଯାଇଛି।

ଗତ ବୁଧବାର ଫିଲ୍ମର ଆଉ ଏକ ଗୀତ ରିଲିଜ୍ ହେବ ବୋଲି ଘୋଷଣା କରିଥିଲେ ନିର୍ମାତା। ହେଲେ ଏବେ ପର୍ଯ୍ୟନ୍ତ ତାହା ରିଲିଜ୍ ହୋଇନଥିବାରୁ ଆକ୍ରମଣ ପାଇଁ ନିର୍ମାତା ଯୋଜନା ବାତିଲ୍ କରିଥାଇ ପାରନ୍ତି ବୋଲି କୁହାଯାଉଛି।ଏହା ପୂର୍ବରୁ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (ଏଫଡବ୍ଲୁଆଇସିଇ) ପୁଣି ଥରେ ଭାରତୀୟ ଫିଲ୍ମ ଏବଂ ମନୋରଞ୍ଜନ ଶିଳ୍ପକୁ ସମସ୍ତ ପାକିସ୍ତାନୀ କଳାକାର, ଗାୟକ ଏବଂ ଟେକ୍ନିସିଆନଙ୍କ ସହ କାମ ନକରିବାକୁ ଆହ୍ୱାନ ଦେଇଥିଲା।

ଏଫଡବ୍ଲୁଆଇସିଇ କହିଥିଲା ଯେ, ‘ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ସତ୍ତ୍ୱେ, ହିନ୍ଦୀ ଫିଲ୍ମ ‘ଅବୀର ଗୁଲାଲ୍’ ରେ ପାକିସ୍ତାନୀ ଅଭିନେତା ଫୱାଦ ଖାନ୍ କାମ କରୁଥିବା ବିଷୟରେ ସୂଚନା ମିଳିଛି। ପହଲଗାମରେ ହୋଇଥିବା ଆକ୍ରମଣ ପରେ ଆମେ ଭାରତୀୟ ଚଳଚ୍ଚିତ୍ର କିମ୍ବା ମନୋରଞ୍ଜନ ପ୍ରକଳ୍ପରେ କାମ କରୁଥିବା ସମସ୍ତ ପାକିସ୍ତାନୀ କଳାକାର, ଗାୟକ ଏବଂ ଟେକ୍ନିସିଆନଙ୍କୁ ସମ୍ପୂର୍ଣ୍ଣ ବୟକଟ କରିବାକୁ ଆହ୍ୱାନ ଦେଇଛୁ। ୫ ଲକ୍ଷରୁ ଅଧିକ ସଦସ୍ୟ ଥିବା ଏଫଡବ୍ଲୁଆଇସିଇ ଚେତାବନୀ ଦେଇଥିଲା ଯେ, ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ଲୋକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’