ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆସେସ୍‌ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ

ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆସେସ୍ ଆରମ୍ଭ ହୋଇଛି । ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ବୋଲରଙ୍କ ଜଲୱା ଦେଖିବାକୁ ମିଳିଛି । ପ୍ରଥମେ ମେଚଲ୍ ଷ୍ଟାର୍କ ସାତ ୱିକେଟ୍ ନେଇ ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଥିଲେ । ଏହାପରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ପାଞ୍ଚ ୱିକେଟ୍ ନେଇ ଅଷ୍ଟ୍ରେଲିଆ ଇନିଂସକୁ ଧରାଶାୟୀ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ୍ ୧୭୨ ରନରେ ଅଲ୍ ଆଉଟ୍ ହୋଇଥିଲା । ହ୍ୟାରି ବ୍ରୁକ୍ ୫୨ ରନ୍, ଓଲି ପୋପ୍ ୪୬ ରନ୍ ପାଳି ଖେଳିଥିଲେ । ଜେମି ସ୍ମିଥ୍ ୩୩ ରନ୍ ଯୋଗଦାନ କରିଥିଲେ । ମିଚେଲ ଷ୍ଟାର୍କ ୧୨.୫ ଓଭରରେ ୫୮ ରନ୍ ଦେଇ ୭ ୱିକେଟ୍ ନେଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୧୨୩ ରନ୍ କରିଛି । ନାଥନ ଲିୟୋନ ଓ ବ୍ରେଡନ ଡଗେଟ୍ ଅପରାଜିତ ଅଛନ୍ତି ।

ଦିନର ପ୍ରଥମ ସେସନରେ ଇଂଲଣ୍ଡ ୫୦ ରନ୍ କରି ତିନି ୱିକେଟ୍ ହରାଇଥିଲା । ଲଞ୍ଚ୍ ବ୍ରେକରେ ଯିବା ପୂର୍ବରୁ ଇଂଲଣ୍ଡ ଆଉ ଗୋଟିଏ ୱିକେଟ୍ ହରାଇ ୧୦୦ ରନ୍ ପାର କରିଥିଲା । ଏହାପରେ ୱିକେଟ୍ ପତନର ଧାରା ଲାଗିଥିଲା । ଚା’ ବିରତି ପୂର୍ବରୁ ଇଂଲଣ୍ଡ ଇନିଂସ ଶେଷ ହୋଇଥିଲା ଓ ଅଷ୍ଟ୍ରେଲିଆ ୧ ୱିକେଟରେ ୧୫ ରନ୍ କରିଥିଲା ।

ଚା’ ବିରତି ପରେ ଡ୍ରିଙ୍କ୍ସ ବ୍ରେକ୍ ମଧ୍ୟରେ ଅଷ୍ଟ୍ରେଲିଆର ଚାରି ବ୍ୟାଟର ପାଭିଲିୟନ ଫେରିଥିଲେ ଓ ସ୍କୋର ବୋର୍ଡରେ ୫୩ ରନ୍ ଥିଲା । ଏହାପରେ ଦିନର ଖେଳ ଶେଷ ହେବା ବେଳକୁ ଅଷ୍ଟ୍ରେଲିଆ ଆଉ ୫ ୱିକେଟ୍ ହରାଇଥିଲା । ମୋଟ ଉପରେ ପ୍ରଥମ ଦିନରେ ଦୁଇ ଟିମ୍‌ର ମିଶି ୧୯ ୱିକେଟ୍ ପତନ ହୋଇଥିଲା । ପିଚ୍‌ରେ ଦ୍ରୁତ ବୋଲରଙ୍କ ଦବଦବା ରହିଥିଲା । ଦୁଇ ଟିମ୍‌ର ଦ୍ରୁତ ବୋଲର ମୋଟ ୧୬ ୱିକେଟ୍ ନେଇଛନ୍ତି ।

Leave a Reply

Your email address will not be published. Required fields are marked *