ଆଜି ପବିତ୍ର ଧନତେରାସ , ୨ କ୍ବିଣ୍ଟାଲ ସୁନା ବିକ୍ରି ଆଶା

ସୁନା ଦର ବଢ଼ୁଛି। ଆଗକୁ ବି ବଢ଼ିବ। ଗ୍ରାହକଙ୍କ ମନରେ ଥିବା ସେହି ଭାବନା ସେମାନଙ୍କୁ ସୁନା ଦୋକାନ ପର୍ଯ୍ୟନ୍ତ ଟାଣୁଛି। ଗହଣା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଘୋଷଣା କରିଥିବା ମନଲୋଭା ଧନତେରସ୍‌ ଓ ଦୀପାବଳି ଅଫର୍‌ ବର୍ତ୍ତମାନ ସମୟକୁ ସୁନା କିଣିବାର ସବୁଠୁ ଉପଯୁକ୍ତ ସମୟରେ ପରିଣତ କରିଛି। ଆସନ୍ତାକାଲି ଧନତେରସ୍‌ ପାଳନ କରାଯାଉଥିବାରୁ ସୁନା ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ହେବା ଆଶା କରାଯାଉଛି। ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଗହଣା ପ୍ରତିଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ବଜାର ବିଶେଷଜ୍ଞଙ୍କ ଆକଳନ ଅନୁସାରେ କେବଳ ଧନ୍‌ତେରସ୍‌ ଦିନ ସାରା ରାଜ୍ୟରେ ୧୮୦-୨୦୦ କେଜି ପାଖାପାଖି ସୁନା ବିକ୍ରି ହେବ। ସେଥିରୁ ୭୫-୮୦ କେଜି ସୁନା କେବଳ ଭୁବନେଶ୍ବର ବଜାରରେ ବିକ୍ରି ହେବ। ଆଜି ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧,୨୧,୧୭୦ ଟଙ୍କା ରହିଛି। ସେହି ଦର ଅନୁସାରେ ଆସନ୍ତାକାଲି ସାରା ରାଜ୍ୟରେ ୨୪୫ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହେବ। କେବଳ ଭୁବନେଶ୍ବରରେ ଆସନ୍ତାକାଲି ୧୦୦ କୋଟି ଟଙ୍କାର ସୁନା ବିକ୍ରି ହେବ। ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ବଡ଼ ବଡ଼ ସୋ’ରୁମ୍‌ଗୁଡ଼ିକରେ ୧୫୦-୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସୁନା ଗହଣା ଷ୍ଟକ୍ ରଖାଯାଇଛି। ଛୋଟ ଦୋକାନଗୁଡ଼ିକରେ ୫୦ କୋଟି ଟଙ୍କା ପାଖାପାଖି ଷ୍ଟକ୍ ରହିଛି।

ଲାଲ୍‌ଚନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ଧନତେରସ୍ ଓ ଦୀପାବଳି ସମୟରେ ହେଉଥିବା ଗ୍ରାହକଙ୍କ ଭିଡ଼ ସପ୍ତାହେ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଛି। ସୋ’ରୁମ୍‌ରେ ଭିଡ଼ ୮୦ ପ୍ରତିଶତ ସ୍ତରରେ ରହିଛି। ଆସନ୍ତାକାଲି ତାହା ୧୦୦ ପ୍ରତିଶତରୁ ଅଧିକ ହୋଇଯିବ। ସୁନା କିଣିବାକୁ ଲୋକମାନଙ୍କ ଭିତରେ ଯେଉଁଭଳି ଆଗ୍ରହ ରହିଛି ତାହା ବିଚାରକୁ ନେଲେ ଗତବର୍ଷର ଧନତେରସ୍‌ ତୁଳନାରେ ଚଳିତ ବର୍ଷର ବିକ୍ରି ୨୦ ପ୍ରତିଶତ ଅଧିକ ରହିବ ବୋଲି ସେ କହିଛନ୍ତି। ଜୟଆଲୁକ୍କାସର ରୁପାଲି ଛକ ଷ୍ଟୋର୍‌ ମୁଖ୍ୟ ସୁଭାଷ ଏମ୍‌ କହିଛନ୍ତି ଯେ ଧନତେରସ୍‌ ଦିନ ସୁନା ନେବା ଲାଗି ଆମ ଷ୍ଟୋର୍‌ରେ ବହୁ ସଂଖ୍ୟାରେ ବୁକିଂ ହୋଇଛି। ପ୍ରାୟ ୩୫ ପ୍ରତିଶତ ବିକ୍ରିର ଆଗୁଆ ବୁକିଂ ହୋଇଛି। ଗତ କିଛିଦିନ ମଧ୍ୟରେ ଭିଡ଼ ଯେଉଁଭଳି ବଢ଼ିଛି, ତାହାକୁ ଦେଖିଲେ ଆସନ୍ତାକାଲି ୨-୩ ଗୁଣା ଅଧିକ ଗ୍ରାହକ ଆସିବେ ବୋଲି ଆଶା କରାଯାଉଛି। ଏବେ ଗହଣା ସୋ’ରୁମ୍‌ରୁ ଗ୍ରାହକମାନେ ଅଳଙ୍କାର, କଏନ୍‌ ଓ ବାର୍ କିଣୁଛନ୍ତି। ସୁନାହାର, ଚେନ୍‌, ହୀରା କାନଫୁଲ, ନେକ୍‌ଲେସ୍ ଓ ମୁଦି ଚାହିଦା ଅଧିକ ରହିଛି। ଆସନ୍ତା ଡିସେମ୍ବରରେ ହେବାକୁ ଥିବା ବାହାଘର ପାଇଁ ଲୋକମାନେ ଏବେଠାରୁ ଗହଣା କିଣୁଥିବା ଜଣେ ବ୍ୟବସାୟୀ କହିଛନ୍ତି। ‌ଲୋକମାନେ ପୁରୁଣା ସୁନା ବଦଳ କରି ନୂଆ ଗହଣା ନେଉଛନ୍ତି।

Leave a Reply

Your email address will not be published. Required fields are marked *