ଫେରିଯାଉଛି ମୌସୁମୀ… ଆସୁଛି ବାତ୍ୟା

ଫେରିଯାଉଛି ମୌସୁମୀ… ଆସୁଛି ବାତ୍ୟା ! ଧିରେଧିରେ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ପରବର୍ତ୍ତୀ ସମୟ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ବିଶେଷ କରି ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶର ଅବଶିଷ୍ଟ ଅଂଶ ଗୁଡିକ ମୁଖ୍ୟତ ଆଣ୍ଡାମାନ ସାଗର ଅଞ୍ଚଳ ପ୍ରବେଶ କରିଥାଏ | ମୌସୁମୀର ଲେଉଟାଣି ପରେ ଲା-ନିନାର ସକ୍ରିୟତା ପ୍ରଶାନ୍ତ ମହାସାଗରରେ ବୃଦ୍ଧି ପାଏ ଏବଂ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ରୁହେ । ମୌସୁମୀ ଅପସାରଣ ପରେ ବାତ୍ୟା ସମ୍ଭାବନା ଆହୁରି ଅଧିକ ବଢିଯାଏ । ବାୟୁର ତଳ ଓ ଉପର ଭାଗର ବାୟୁ ପ୍ରବାହ ସମାନ ବେଗରେ ଗୋଟିଏ ଦିଗରେ ହେବା ସହ ତାରତମ୍ୟ କମିଯାଏ । ଯାହା ଫଳରେ ଗୋଟିଏ ଛୋଟିଆ ଲଘୁଚାପ ହେଲେ ବି ବଳ ଗୋଟେଇ ଶକ୍ତିଶାଳୀ ସାଜେ । ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହୁଏ କାରଣ ଆକାଶରେ ବାଦଲର ଆଚ୍ଛାଦନ କମଥାଏ।

ସେପଟେ ମୌସୁମୀର ଲେଉଟାଣି ପ୍ରକ୍ରିୟା ଚାଲିଥିବା ବେଳେ ଏହା ଅକ୍ଟୋବର ୧୫ ଯାଏଁ ଚାଲିବ । ଯଦିଓ ଅକ୍ଟୋବର ମାସ ବତ୍ୟା ଅନୁକୂଳ ଏବଂ ବାତ୍ୟା ପ୍ରବଣ ମାସ, ତେଣୁ ମୌସୁମୀର ଏହି ଅପସାରଣ ପ୍ରକ୍ରିୟା ବି ଅକ୍ଟୋବରେ ରହିଥିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟରୁ ଏହା ଲେଉଟାଣି ସମୟ ହୋଇଥିବାରୁ ଏବଂ ଉତ୍ତର-ପୂର୍ବ ମୌସୁମୀ ବାୟରୁ ଆଗମନୀ ସମୟ ହୋଇଥିବାରୁ ଏହା ବାତ୍ୟାନୁକୂଳ ବୋଲି ପାଣିପାଗ ବିଶେଷଜ୍ଞ କୁହନ୍ତି ।

ତେବେ ବାତ୍ୟା ସୃଷ୍ଟି ପାଇଁ ବିଭିନ୍ନ ପାଣିପାଗ ଉପାଦାନ ଗୁଡିକ ମଧ୍ୟରୁ  ସମୁଦ୍ର ପୃଷ୍ଠର ତାପମାତ୍ରାର ଗୁରୁତ୍ବ ସର୍ବାଧିକ । ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ବାଷ୍ପିଭୂତ ଜଳୀୟ ବାଷ୍ପ ସୃଷ୍ଟି ସହ ବାୟୁମଣ୍ଡଳରେ ସୃଷ୍ଟି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଗୁଡିକ ଅଧିକ ଶକ୍ତିଶାଳୀ କରାଇବା ସହ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପାଣିପାଗ ସୃଷ୍ଟି କରିଥାଏ । ଏହି କ୍ରମରେ ବଙ୍ଗୋପସାଗର ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁରେ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ଅଂଚଳରେ ସମୁଦ୍ର ପୃଷ୍ଟ ତାପମାତ୍ରା ୩୧ ଡ଼ିଗ୍ରୀ କିମ୍ବା ଅଧିକ ରୁହେ ଫଳ ସ୍ୱରୂପ ଏହି ସମୟରେ ସ୍ୱତପ୍ରବୃତ ଭାବେ ଏହି ଅଂଚଳ ଗୁଡିକ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମ୍ବେଦନଶୀଳ ।

ଅନ୍ୟ ଏକ ଦିଗ ହେଉଛି ପ୍ରଶାନ୍ତ ମହାସାଗର କିମ୍ବା ଚାଇନା ସାଗର ଅଂଚଳରେ ସୃଷ୍ଟି ବାତ୍ୟା କିମ୍ବା ଲଘୁଚାପ ପ୍ରଭୃତି ଗୁଡିକର  ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରିବା ଦ୍ୱାରା ଅନୁକୂଳ ପାରିପାର୍ଶ୍ବିକ  ବାତାବରଣ ବାତ୍ୟା ସୃଷ୍ଟି ପାଇଁ ଅଧିକ ସହାୟକ ହୋଇଥାଏ । ସାଧାରଣତଃ ପ୍ରଶାନ୍ତ ମହାସାଗରର ଜଳବାୟୁ ପ୍ରକ୍ରିୟା ଏଲ-ନିନୋ ଏବଂ ଲାନିନା , ପଶ୍ଚିମ ପ୍ରଶାନ୍ତ ମହାସାଗର ଅଂଚଳର ସମୁଦ୍ର ପୃଷ୍ଠ ତାପମାତ୍ରାକୁ ପ୍ରଭାବିତ କରୁଥିବା ହେତୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବିଶେଷ କରି ଲା-ନିନା ସମୟରେ ପଶ୍ଚିମ ପ୍ରଶାନ୍ତ ମହାସାଗର ଅଂଚଳରେ ତାପମାତ୍ରା  ସ୍ୱଭାବିକ ଠାରୁ ଅଧିକ ରହୁଥିବାରୁ ଏହି ଅଂଚଳରେ ପାଣିପାଗ ଜନିତ ଅସ୍ଥିରତା ସୃଷ୍ଟି ହୁଏ, ଯାହାର ଅବଶିଷ୍ଟ ଅଂଶ ଗୁଡିକ ବଙ୍ଗୋପସାଗର ଅଂଚଳରେ ପ୍ରବେଶ ହେତୁ ଏହି ସମୟରେ ଖାସ କରି ମୌସୁମୀ ପରବର୍ତ୍ତୀ ଋତୁରେ ବାତ୍ୟା ପରି ଶକ୍ତିଶାଳୀ ପାଣିପାଗ ସଂଗଠିତ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ ।

ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ରହିବା ସମ୍ଭାବନା ଥିବାରୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ସହ ପୂର୍ବ ଉପକୂଳ ଯଥା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ପାଇଁ ଆହୁରି ଚିନ୍ତା ସୃଷ୍ଟି କରିଛି l

Leave a Reply

Your email address will not be published. Required fields are marked *