କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) – ଭାରତନେତ୍ରର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟଓ୍ୱାର୍କ(ଜିଏଫଟିଏନ) ସହଯୋଗରେ ଭୁବନେଶ୍ୱରକୁ ବିଶ୍ୱ ଆର୍ଥିକ ଟେକ୍ନୋଲୋଜି ଏବଂ ଇନସ୍ୟୁରଟେକ୍, ଇନୋଭେସନ ହବ୍ ରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ଜ୍ଞାନ ପରମ୍ପରା ଦୀର୍ଘ ଦିନରୁ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି । ଏହି ସମୟରେ ୨୦୩୬ ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ଆଜିର ପଦକ୍ଷେପ ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପରିକଳ୍ପିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ । ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କୁ ବିଶେଷ ଭାବରେ ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସୁଯୋଗକୁ ହାତଛଡା କରିବାକୁ ଦେବ ନାହିଁ । ଯୁବବର୍ଗଙ୍କୁ ଇନସ୍ୟୁରଟେକ୍, ଡିଜିଟାଲ ଫାଇନାନ୍ସ, ଏଆଇ, ବ୍ଲକ ଚେନ୍ ଏବଂ ଭବିଷ୍ୟତବାଦୀ ଦକ୍ଷତା କ୍ଷେତ୍ରରେ ଯୁବପିଢିଙ୍କୁ ଚାକିରି ପାଇଁ ଦକ୍ଷତା ପ୍ରଦାନ କରିବ । I-GFTCH ଏଠାରେ ଭୁବନେଶ୍ୱରରେ ସ୍ଥାନୀୟ ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ସୁଯୋଗ ଦେବା ପାଇଁ ସହଯୋଗୀ ଭାବରେ କାମ କରିବ । ଓଡ଼ିଶାକୁ ଏକ ଡିଜିଟାଲ-ଅ୍ରଣୀ ଅର୍ଥନୀତିରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ଆୟୋଜିତ ଏକ ସାକ୍ଷାତକାରରେ ସିଙ୍ଗାପୁର ଜିଏଫଟିଏନର ଗ୍ରୁପ ସିଇଓ ଶ୍ରୀ ସୋପ୍ନେନ୍ଦୁ ମହାନ୍ତିଙ୍କ ସହ ବାର୍ତ୍ତାଳାପ କରିଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ସିଙ୍ଗାପୁର ମଡେଲର କ୍ରିୟାନ୍ୱୟନ ନେଇ ଆସିଥିବା କଳ୍ପନା ସହ ଆର୍ଥିକ କ୍ଷେତ୍ରରେ ଭବିଷ୍ୟତକୁ ନୂଆ ଆକାର ଦେବା : ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ରାସ୍ତା କଥାବସ୍ତୁ ଉପରେ ମତ ରଖିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ସିଙ୍ଗାପୁର ଗସ୍ତରେ ଥିବା ବେଳେ ଜୁରଙ୍ଗ ଆଇଲ୍ୟାଣ୍ଡ ଭଳି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସମୟରେ ଓଡ଼ିଶାରେ ସିଙ୍ଗାପୁର ମଡେଲର କ୍ରିୟାନ୍ୱୟନ ମନରେ ଭାବନା ଆସିଥିଲା । ଓଡ଼ିଶାରେ ଅପାର ସମ୍ଭାବନା, ପ୍ରାକୃତିକ ସମ୍ବଳ, ସୁଦୀର୍ଘ ବେଳାଭୂମି, ଜଙ୍ଗଲ, ପ୍ରତିଭା ସମ୍ପଳ ମାନବ ସମ୍ବଳ ଅଛି । ଯଦି ଏଫଏମ କଲେଜରୁ ପାଠପଢି ସୋପ୍ନେନ୍ଦୁ ମହାନ୍ତିଙ୍କ ପରି ଟେକ୍ନୋକ୍ରାଟମାନେ ସିଙ୍ଗାପୁରରେ କାମ କରୁଛନ୍ତି ତେବେ ଓଡ଼ିଆ ପିଲାମାନେ କାହିଁକି ନୁହେଁ ? ସଠିକ୍ ସୁଯୋଗ ପ୍ରଦାନ କଲେ, ଓଡ଼ିଆ ପିଲାମାନେ ଯେକୌଣସି ବିଷୟ ହାସଲ କରିପାରିବେ । ବିଶେଷ ଭାବରେ ଓଡ଼ିଶାର ଯୁବ ପ୍ରତିଭାକୁ ଉପଯୋଗ କରିବା ଦିଗରେ ସିଙ୍ଗାପୁର ଭଳି ଇକୋସିଷ୍ଟମ ତିଆରି ହେବା ଦରକାର ।








