ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ପ୍ରତି ଦିଆଯାଇଥିବା ଅଶାଳୀକ ଟିପ୍ପଣୀର ତୀବ୍ର ପ୍ରତିବାଦ କରି ଏନଡିଏ ବିହାର ବନ୍ଦ ଡାକରା ଦେଇଛି। ମଙ୍ଗଳବାର ପାଟନାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ଏନଡିଏ ନେତାମାନେ କହିଛନ୍ତି ଯେ, ସେପ୍ଟେମ୍ବର ୪ ତାରିଖ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିହାର ବନ୍ଦ ରହିବ।
ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ରିଜଭିକୁ ପୁଲିସ ଗିରଫ କରିଥିଲା। ଅଗଷ୍ଟ ୨୭ରେ ଦରଭଙ୍ଗାରେ ବିରୋଧୀଙ୍କ ରାଲି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ରିଜବି। ଏହି ସମୟରେ ରାହୁଲ କିମ୍ବା ତେଜସ୍ୱୀ ମଞ୍ଚରେ ଉପସ୍ଥିତ ନଥିଲେ। ଜାଣି ଶୁଣି ବିରୋଧୀ ଏଭଳି କରିଥିବା ଦାବି କରିଥିଲା ବିଜେପି। ବାରମ୍ବାର ବିରୋଧୀ ଏଭଳି ବ୍ୟକ୍ତିଗତ ଆକ୍ରମଣ କରୁଥିବା ଦେଖି ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉଚିତ୍ ଜବାବ ଦେଇଥିଲେ। ବିହାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଭିଡିଓ କନଫରରେନ୍ସଂ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଥିଲେ।
ଏନଡିଏ ସ୍ପଷ୍ଟ କରିଛି ଯେ, ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବ ନାହିଁ। ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ଆୟୋଜିତ ହେବ। ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ ଯେପରି ଅପମାନିତ କରାଯାଇଛି, କୋଟି କୋଟି ଲୋକଙ୍କ ଭାବନାକୁ ତାହା ଆଘାତ ଦେଇଛି। ଏନଡିଏର ସମସ୍ତ ସାଂଗଠନିକ ଦଳ ଏହି ଲଜ୍ଜାଜନକ ବୟାନର ଦୃଢ଼ ବିରୋଧ କରିବେ।
ଘୋଷଣା ଅନୁଯାୟୀ, ବନ୍ଦର କମାଣ୍ଡ ବିଜେପି ମହିଳା ମୋର୍ଚ୍ଚାକୁ ଦିଆଯାଇଛି। ମହିଳା ମୋର୍ଚ୍ଚାର କର୍ମୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦର ନେତୃତ୍ୱ ନେବେ। ତେବେ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟ ସଭାପତିମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ଏବଂ ଏକତା ପ୍ରଦର୍ଶନ କରି ବନ୍ଦକୁ ସଫଳ କରିବାକୁ ନିବେଦନ କରିଥିଲେ।








