ପ୍ରଯୁକ୍ତିବିଦ୍ୟା ପ୍ରତି ମୋର ଏହି ଦୁର୍ବଳତା ମୋତେ ବାରମ୍ବାର ଆପଣମାନଙ୍କ ମଧ୍ୟକୁ ଟାଣି ଆଣୁଛି । ଏଥିପାଇଁ ଆଜି ମୁଁ ଆପଣମାନଙ୍କ ଗହଣକୁ ଆସିଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ବିଶ୍ୱର ବିଭିନ୍ନ ସ୍ଥାନରୁ ସେମିକଣ୍ଡକ୍ଟର ସହିତ ସମ୍ପୃକ୍ତ ବିଶେଷଜ୍ଞମାନେ ଏଠାରେ ଉପସ୍ଥିତ ଅଛନ୍ତି । ଏଠାରେ ୪୦-୫୦ ରୁ ଅଧିକ ଦେଶର ପ୍ରତିନିଧିତ୍ୱ ରହିଛି । ଭାରତର ନବସୃଜନ ଏବଂ ଯୁବ ଶକ୍ତି ମଧ୍ୟ ଏଠାରେ ଦୃଶ୍ୟମାନ ହେଉଛି । ଏହି ଯେଉଁ ସମିଶ୍ରଣ ସୃଷ୍ଟି ହୋଇଛି, ତାହାର କେବଳ ଏକମାତ୍ର ବାର୍ତ୍ତା ହେଉଛି – ବିଶ୍ୱ ଭାରତକୁ ବିଶ୍ୱାସ କରେ, ବିଶ୍ୱ ଭାରତ ଉପରେ ଭରସା କରେ, ଏବଂ ବିଶ୍ୱ ଭାରତ ସହିତ ଭବିଷ୍ୟତରେ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀର ଯଶୋଭୂମିରେ ‘ସେମିକନ୍ ଇଣ୍ଡିଆ -୨୦୨୫’ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି ସେମିକନ୍ ଇଣ୍ଡିଆକୁ ଆସିଥିବା ଆପଣ ସମସ୍ତ ମହାନ ବ୍ୟକ୍ତିଙ୍କୁ ମୁଁ ସ୍ୱାଗତ କରୁଛି । ଆପଣ ସମସ୍ତେ ବିକଶିତ ଭାରତର ଯାତ୍ରା, ଆତ୍ମନିର୍ଭରଶୀଳ ଭାରତର ଯାତ୍ରାରେ ଆମର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟନ୍ତି । କିଛି ଦିନ ପୂର୍ବରୁ, ଏହି ବର୍ଷର ପ୍ରଥମ ତ୍ରୈମାସିକର ଜିଡିପି ସଂଖ୍ୟା ପ୍ରକାଶିତ ହୋଇଥିଲା । ପୁଣିଥରେ, ଭାରତ ପ୍ରତ୍ୟେକ ଆଶା, ପ୍ରତ୍ୟେକ ଆକାଂକ୍ଷା, ପ୍ରତ୍ୟେକ ମୂଲ୍ୟାଙ୍କନ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିଛି । ଗୋଟିଏ ପଟେ, ଯେତେବେଳେ ସାରା ବିଶ୍ୱକୁ ଅର୍ଥନୈତିକ ଚିନ୍ତା ଗ୍ରାସ କରିଛି, ଆର୍ଥିକ ସ୍ୱାର୍ଥପରତାରୁ ସମସ୍ୟା ସୃଷ୍ଟି ହେଉଛି, ସେହି ପରିବେଶରେ ଭାରତ ୭.୮% ଅଭିବୃଦ୍ଧି ହାର ହାସଲ କରିପାରିଛି । ଏହି ଅଭିବୃଦ୍ଧି ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ, ଉତ୍ପାଦନ, ସେବା, କୃଷି, ନିର୍ମାଣ, ସବୁ କ୍ଷେତ୍ରରେ ଉତ୍ସାହ ଦୃଶ୍ୟମାନ ହେଉଛି । ଆଜି ଭାରତ ଯେଉଁ ଗତିରେ ଅଭିବୃଦ୍ଧି କରୁଛି, ତାହା ଆମ ସମସ୍ତଙ୍କ ମଧ୍ୟରେ ଶିଳ୍ପ ଏବଂଦେଶର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ନୂତନ ଶକ୍ତି ସଞ୍ଚାର କରୁଛି । ଏହା ହେଉଛି ଅଭିବୃଦ୍ଧିର ଦିଗ, ଯାହା ଭାରତକୁ ତୃତୀୟ ବୃହତ ଅର୍ଥନୀତି କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ିବା ସୁନିଶ୍ଚିତ କରୁଛି ।









